ଗାନ୍ଧିଜୀଙ୍କ ଜୀବନର ଶେଷ ସନ୍ଧ୍ୟା


ସେଦିନ ଥିଲା ୩୦ ଜାନୁଆରୀ ୧୯୪୮ ମସିହା, ସମୟ ସନ୍ଧ୍ୟା ୫:୧୭ ମିନିଟ । ପ୍ରାର୍ଥନା ସଭାରୁ ଭାସି ଆସୁଥିଲା ଗାନ୍ଧିଜୀଙ୍କ ସେଇ ପ୍ରିୟ ପ୍ରାର୍ଥନା ସଙ୍ଗୀତର ସ୍ଵର "ରଘୁପତି ରାଘବ ରାଜାରାମ, ପତିତପାବନ ସୀତାରାମ" । ହଠାତ ଦୁର୍ବୁତ୍ତର ଗୁଳିମାଡରେ ଲୋଟି ପଡିଲା ମହାମାନବ ମହାତ୍ମାଙ୍କ ସରଳ ନିଷ୍ପାପ ଶରୀରଟି । ହେଲେ ତାଙ୍କର ରକ୍ତିମ ଓଠଟି କିନ୍ତୁ ଉଚ୍ଚାରଣ କରିଚାଲିଥିଲା, "ହେ ରାମ ! ହେ ରାମ !!" ଆତତାୟୀର ଗୁଳିମାଡରେ ଚିର ବିଦାୟ ନେଲେ ଜାତିର ପିତା ମହାତ୍ମା ଗାନ୍ଧି । ସ୍ତବ୍ଧ ହୋଇଯାଇଥିଲା ସମଗ୍ର ପୃଥିବୀର ବାଯୁମଣ୍ଡଳ । ଚାରିଆଡେ ଖେଳି ଯାଇଥିଲା ମହାତ୍ମାଙ୍କ ମୃତ୍ୟୁ ବିଭୀଷିକାର ବାତାବରଣ । ଅବାକ ହୋଇଯାଇଥିଲେ ସମଗ୍ର ବିଶ୍ଵବାସୀ । ଲୋକାରଣ୍ୟ ହୋଇଉଠିଲା ଦିଲ୍ଲୀର ବିର୍ଲା ହାଉସ ପରିସର । ଗାନ୍ଧିଜୀଙ୍କ ଶେଷ ଜୀବନର ୧୪୪ ଦିନ ସେ ଏହି ବିର୍ଲା ହାଉସରେ ହିଁ ବିତାଇଥିଲେ ।
ମହାତ୍ମାଙ୍କ ମୃତ୍ୟୁର ୧୦ ଦିନ ପୂର୍ବରୁ, ବିର୍ଲା ହାଉସରେ ୨୦ ଜାନୁଆରୀ ୧୯୪୮ ମସିହା ସନ୍ୟାର ର ପ୍ରାର୍ଥନାସଭାର ପ୍ରଥମ ବିସ୍ଫୋରଣରୁ ସୂଚୀତ ହୋଇଯାଇଥିଲା ଯେ, ଗାନ୍ଧୀଜୀଙ୍କ ଜୀବନ ପ୍ରତି ବିପଦ ଅଛି । ମଦନ ଲାଲ ନାମକ ଜଣେ ପଞ୍ଜାବୀ ରିଫୁଇଜ ବ୍ୟକ୍ତି ଏହି ପ୍ରଥମ ବିସ୍ଫୋରଣ ଘଟାଇଥିଲା । ସମଗ୍ର ଦେଶବାସୀ ତଥା ଭାରତ ସରକାରଙ୍କୁ ଅଚ୍ଛପା ନଥିଲା ମହାତ୍ମାଙ୍କ ଜୀବନ ପ୍ରତି ଥିବା ବିପଦ ବିଷୟରେ । କିନ୍ତୁ ଗାନ୍ଧିଜୀ ଏଥିରେ ତିଳେମାତ୍ର ଭୟଭୀତ ହୋଇନଥିଲେ । ଏହି ବିସ୍ଫୋରଣରେ ଅନେକ କିଛି କ୍ଷୟ କ୍ଷତି ହେବା ସତ୍ଵେ ମଧ୍ୟ ଗାନ୍ଧିଜୀ କେବେ ହେଲେ ନିଜ ମନ ଭିତରକୁ ଆଣିନଥିଲେ ଯେ, ତାଙ୍କୁ କେହି ମାରିବାକୁ ଆସିଥିଲେ । ଏହାପରେ ବିର୍ଲା ହାଉସର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଥିଲା । ସନ୍ଦୀହାନ ବ୍ୟକ୍ତି ମାନଙ୍କୁ ବିର୍ଲା ହାଉସ ମଧ୍ୟକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଆବଶ୍ୟକୀୟ ସ୍ଥଳେ କଡା ସୁରକ୍ଷା ମଧ୍ୟରେ ଗାନ୍ଧିଜୀଙ୍କ ସାକ୍ଷାତ ନିମନ୍ତେ କିଛି ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଗଲା । ଏହି ନିଷ୍ପତ୍ତି ସମ୍ବନ୍ଧରେ ପୋଲିସ ସୁପରିଟେଣ୍ଡେଣ୍ଟ ଗାନ୍ଧିଜୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଗାନ୍ଧିଜୀ ଏହି ନିଷ୍ପତ୍ତିକୁ ଦୃଢ ବିରୋଦ୍ଧ କରିଥିଲେ । ଏସବୁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିଆଯାଇଥିବା ନିଷ୍ପତ୍ତିର କୌଣସି ପ୍ରଭାବ ଗାନ୍ଧିଜୀଙ୍କ ଉପରେ ପଡି ନଥିଲା । ସେ କହୁଥିଲେ, “ମୋର ମୃତ୍ୟୁ କେବଳ ଭଗବାନଙ୍କ ହାତରେ ନିହିତ, ଯଦି ମୋର ମରିବାକୁ ଅଛି ତେବେ ମୋତେ କେହିବି ରକ୍ଷା କରି ପାରିବେ ନାହିଁ ।“
ସମସ୍ତ ସରକାରୀ ସୁରକ୍ଷା ବ୍ୟବସ୍ଥାକୁ ଅଗ୍ରାହ୍ୟ କରି ଗାନ୍ଧିଜୀ ବାହାରି ଯାଇଥିଲେ ସେଦିନ ସନ୍ଧ୍ୟାର ସେଇ ପ୍ରାର୍ଥନାସଭାକୁ । ଏହି ସର୍ବଧର୍ମ ପ୍ରାର୍ଥନାସଭାରେ ଯୋଗ ଦେବାକୁ ଆସିଥିବା ସମସ୍ତ ଜନସାଧାରଣ ଯୋଡହସ୍ତରେ ଅପେକ୍ଷା କରି ରହିଥିଲେ ମହାତ୍ମାଙ୍କୁ । କିନ୍ତୁ ସମସ୍ତଙ୍କୁ ଅଚ୍ଛପା ଥିଲା ଯେ, ସେମାନଙ୍କ ଗହଣରେ ଲୁଚି ରହିଛି ଘାତକ ନାଥୁରାମ ବିନାୟକ ଗଡସେ । ନୀରବ ଜନସମାଗମ ମଧ୍ୟରେ ଗାନ୍ଧିଜୀ ବିର୍ଲା ହାଉସର ତଳପାହାଚ ଅତିକ୍ରମ କରି ପଦାର୍ପଣ କଲେ ପଛପଟ ଲନ ଉପରେ, ଯେଉଁଠାରେ ପ୍ରତିଦିନ ସନ୍ଧ୍ୟାରେ ତାଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଥାଏ । ସମସ୍ତଙ୍କୁ ସେଦିନ ଅଜଣା ଥିଲା, ଏହାହିଁ ଗାନ୍ଧୀଜୀଙ୍କ ଜୀବନର ଶେଷ ସନ୍ଧ୍ୟା ।
ସମଗ୍ର ଜନସମାଗମ ମଧ୍ୟରୁ ଧୀରେ ଧୀରେ ବାହାରି ଆସୁଥିଲା ନାଥୁରାମ ବିନାୟକ ଗଡସେ । ଗାନ୍ଧୀବାଦର ପ୍ରତିକୂଳ ମନୋଭାବ ନେଇ ସେ ହୋଇଉଠିଥିଲା ରକ୍ତମୁଖା । ନିଜ ପୋଷାକ ଭିତରେ ଲୁଚାଇ ରଖିଥିବା ରିଭଲଭର ହଠାତ ଗର୍ଜି ଉଠିଥିଲା ସଭାସ୍ଥଳରେ । ରିଭଲଭରରୁ ତିନି ରାଉଣ୍ଡ ଗୁଳି ଯାଇ ଲକ୍ଷ୍ୟଭେଦ କରିଥିଲା ଗାନ୍ଧୀଜୀଙ୍କ ନିଷ୍ପାପ ଶରୀରରେ । କେହିବି ହେଲେ ପ୍ରତିହତ କରିପାରିନଥିଲେ ଏହି ଲୋମହର୍ଷଣ ମୂହୁର୍ତ୍ତକୁ । ଅନେକ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଲେ, କିନ୍ତୁ ବିର୍ଲା ହାଉସର ପ୍ରାର୍ଥନାସଭା ମଞ୍ଚ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିର୍ବାକ, ନିସ୍ପନ୍ଦ ଓ ଅପଲକ ମୁଦ୍ରାରେ ସେମିତି ଶୋଇ ରହିଥିଲେ ମହାମାନବ ମହାତ୍ମା ଗାନ୍ଧି । କୌଣସି ବି ପ୍ରତିବାଦ ନଥିଲା ତାଙ୍କର, ଆଉ ଜୀବନର ଏଇ ଶେଷ ସନ୍ଧ୍ୟାରେ ତିଳେ ହେଲେବି କଷ୍ଟ ଅନୁଭବ କରୁନଥିଲେ ସେ... ।

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live