କର୍ତ୍ତବ୍ୟ ଓ ଆବଶ୍ୟକତା - ସମୟ କହିବ 5T ର ଭାଗ୍ୟ ଓ ଭବିଷ୍ୟତ

କଥା ଓ ବିଜ୍ଞାପନ ଅଧିକ । କିନ୍ତୁ ସେହି ଅନୁଯାୟୀ କାର୍ଯ୍ୟଧାରା ଅନେକ ସମୟରେ ଆଖିଦୃଶିଆ ନଥାଏ କିମ୍ବା ଆଖିଦୃଶିଆ କାର୍ଯ୍ୟଧାରା, ପାରିବା ପଣିଆ ଖୁବ ଜୋର ସୋର ଦେଖିବାକୁ ମିଳିଲେ ବି, ଧୀରେ ଧୀରେ ଏହା ଫାଇଲର ନାଲିଫିତାରେ ବନ୍ଦୀ ପାଲଟିଯାଏ । ଏଇ ଯେମିତି 5T କଥା ସରକାର ବଖାଣୁଛନ୍ତି । କଣ ବା ଏଥିରେ ନୂଆ ଅଛି ! ଏହା କେଉଁ ନୂଆ ଯୋଜନାର ରୂପରେଖକୁ ସୂଚାଉଛି, ବୁଝିବାକୁ ଆମକୁ ଟିକେ ଅଡୁଆ ଅଡୁଆ ଲାଗୁଛି । ଅବଶ୍ୟ ଏତିକି ସ୍ପଷ୍ଟ ବାରି ହୋଇପଡୁଛି, ସରକାର ନିଜ କର୍ତ୍ତବ୍ୟ ପ୍ରତି ପୁରା ସଚେତନ ହୋଇଛନ୍ତି । ଅଧିକ କ୍ରିଯାଶୀଳ ହେବା ସହ ନିଜ ଦାୟିତ୍ଵବୋଧକୁ ଠିକରେ ବୁଝି ପାରିଛନ୍ତି । ଶାସନର ସୁପରିଚାଳନା ନିମନ୍ତେ ସମୟୋପଯୋଗୀ ମେକାନିଜିମ ଗୁଡିକର ଅବଶ୍ୟକତାକୁ ଉପଲବ୍ଧି କରିପାରିଛନ୍ତି । "ମୋ ସରକାର" ର କାର୍ଯ୍ୟଧାରା ନିଶ୍ଚିତ ଭାବେ ଗୋଟିଏ ସରକାର ଉତ୍ତରଦାୟିତ୍ଵ ଓ କର୍ତ୍ତବ୍ୟ ଅଟେ । ହେଲେ ପ୍ରଶ୍ନ ଉଠୁଛି 5T ଅନୁସାରେ "ମୋ ସରକାର" ସ୍ଥାୟିତ୍ଵ ଉପରେ । କାରଣ ଅତୀତରେ ଓଡିଶା ସରକାରଙ୍କ ଦ୍ଵାରା ୨୦୧୨ ମସିହାରେ ପ୍ରଣୟନ ହୋଇଥିବା ORPSA (Odisha Rights to Public Service Act) ଆଇନର  କାର୍ଯ୍ୟକାରିତାକୁ ନେଇ ସରକାରୀ ଅବହେଳା 5T  ର ସ୍ଥାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।


ସେ ଯାହାହେଉ, ସାମ୍ବିଧାନିକ ବିଧି ବ୍ୟବସ୍ଥାର ସୁପରିଚାଳନା, ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ସରକାରଙ୍କ 5T ଉଦଗୀରଣ ନିଶ୍ଚୟ ଏକ ଆବଶ୍ୟକୀୟ ପଦକ୍ଷେପ, ଏଥିରେ ଦ୍ଵିମତ ନାହିଁ । ତେବେ ସମୟ ନିଶ୍ଚୟ ନିର୍ଦ୍ଧାରଣ କରିବ 5T ର ଭାଗ୍ୟ ଓ ଭବିଷ୍ୟତ । ଗଣତନ୍ତ୍ରରେ ଲୋକପ୍ରତିନିଧି ମାନଙ୍କ ଉତ୍ତରଦାୟିତ୍ଵ, ଅମଲାତାନ୍ତ୍ରିକ ସ୍ଥାଣୁତା ଓ ଅପାରଗତାକୁ ସୁଧାରିବା ଦିଗରେ ସରକାରଙ୍କର ଏହି ନୂତନ କାର୍ଯ୍ୟଧାରା ନିଶ୍ଚୟ ଗ୍ରହଣୀୟ । 5T - Teamwork, Transparency, Technology, Time & Transformation. ଏହି ପାଞ୍ଚଗୋଟି କାର୍ଯ୍ୟଧାରା ନିଶ୍ଚିତଭାବରେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ସୁପରିଚାଳନା ନିମନ୍ତେ ମୁଖ୍ୟ ସୋପାନ । ତେଣୁ ଏହାକୁ ଆମେ କୌଣସି ଯୋଜନା ବୋଲି ମନେ ନକରି ଏହା ଆମର ଗଣତାନ୍ତ୍ରିକ କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ଵ ବୋଲି ବିବେଚନା କରିବା ଉଚିତ । ନିଜ ଦାୟିତ୍ଵ ସମ୍ପାଦନର ଏହି ଆବଶ୍ୟକୀୟ ଧାରା ଯଦି ସ୍ଵଚ୍ଛତାର ସହ ଦୀର୍ଘସ୍ଥାୟୀ ହେବ, ତେବେ ଶାସନ ବ୍ୟବସ୍ଥା ନିଶ୍ଚୟ ସୁଧୁରିଯିବା ସହିତ ଜନମଙ୍ଗଳକାରୀ ଗଣତନ୍ତ୍ରର ସଫଳ ରୂପାୟନ ଘଟିବ ।

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ଦୂରଭାଷ - ୯୮୬୧୬୧୬୧୨୬

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live